ବନାନୀକୁ ନାଶ କଲା ଜନବିସ୍ଫୋରଣ,
ଜଙ୍ଗଲୀ ଜୀବଙ୍କ ବଂଶଲୋପ କାରଣ |
ମାନବ ସମାଜ କରେ ଜଙ୍ଗଲନଷ୍ଟ,
ଅନାବୃଷ୍ଟି ତାପ ବୃଦ୍ଧି ଦିଅଇ କଷ୍ଟ |୧|
ଆଜି ଏକାଠି ହେଲୁ ଛାତ୍ରଛାତ୍ରୀଗଣ,
ମିଳିମିଶି କରିବୁରେ ବୃକ୍ଷରୋପଣ |
ସମାଜକୁ କରିବୁ ଆମେ ସଚେତନ,
ସଭିଏଁ ଜାଣିବେ ବୃକ୍ଷ କେତେ ମହାନ |୨|
ଫଳମୂଳ ଛାଇ ବୃକ୍ଷକରେ ପ୍ରଦାନ,
ଔଷଧ ସାଜିକରେ ପୀଡାକୁ ହରଣ |
ଶ୍ୱାସକ୍ରିୟାପାଇଁ ଦିଅଇ ଅମ୍ଳଜାନ ,
ବର୍ଷା କରାଇ ବଞ୍ଚାଏ ଆମ ଜୀବନ |୩|
ଖାଦ୍ୟ ବସ୍ତ୍ର ବାସଗୃହ ଗଛ ଯୋଗାଏ,
ମଣିଷ ନବୁଝିଲେ ବଝାଇବ କିଏ ?
ପରୋପକାରେ ଏହାର ହୁଏ ଜନମ,
ଜୀବଜଗତ ପାଇଁ ଏ ଦେବତା ସମ |୪|
ସରକାର ତରଫରୁ ବନମହୋତ୍ସବ,
ସ୍ୱଚ୍ଛ ପରିବେଶେ ବିଶୁଦ୍ଧ ବାୟୁ ପାଇବ |
ପରମମିତ୍ର ବୃକ୍ଷ ଅଟଇ ଆମର ,
ବନୀକରଣ ଅଟେ ଦାୟିତ୍ୱ ସଭିଙ୍କର |୫|
ପକ୍ଷୀଟି ନୀଡ ରଚଇ ଗଛର ଡାଳେ ,
ବାଟୋଇ ଥକା ମେଣ୍ଟେ ତା ଛାଇ ତଳେ |
ତାହାର ଡାଳ ପରା ହୁଏ ଜାଳେଣି ,
ମହାନ୍ ଅଟେ ତାହାର ଜୀବନ କାହାଣୀ |୬|
ଜନ୍ମଜୟ ନାୟକ
ଯାଜପୁର
Readers Interaction