ଶ୍ରମିକର ଆର୍ତ୍ତନାଦ – ଶ୍ରୀକାନ୍ତ ପଣ୍ଡା

Views: 13
0 0
Read Time:2 Minute, 58 Second

ଶ୍ରମଦେଇ ଲହୁଲୁହାଣ ହୋଇଛି
ସବୁରି ମୁହଁରେ ହସ ଫୁଟାଇଛି
କରିନାହିଁ କେବେ ମାନ ,
ଅଭିମାନ ମୋର ଚି଼ରଶତୃ ଏଠି
କରେ ଅନ୍ତରେ ରୋଦନ ।।

ଅଭାବି ସଂସାରେ ଅଭାବି ନିଆଁରେ
ଜଳେ ଏଠି ଅହରହ
ତୁଣ୍ଡ ଖୋଲିନାହିଁ ଦରଦ ବାଣ୍ଟିନି
ଓଠେ ପିଏ ଆଖି ଲୁହ ।।

ହୀନମନ୍ୟତାକୁ ଆବୋରି ନେଇଛି
ସବୁ ଦେହସୁହା କରିଛି
ସୀମିତ ଅର୍ଥରେ ବୁଝି ବି ଯାଇଛି
ଜଞ୍ଜାଳକୁ ମେଣ୍ଟାଉଛି ।।

ବଡ଼ଲୋକ ସଭିଏଁ ଟଙ୍କା ପଇସାରେ
ମାନବିକତା ମରିଯାଇଛି
ଶ୍ରମିକ ଜାଣିଛି ଦୁର୍ଦ୍ଦିନର ମୂଲ୍ୟ
ମାନବିକତାରେ ବଞ୍ଚିଛି ।।

ନିଜ ସ୍ବାର୍ଥ ପାଇଁ ଶ୍ରମିକ ମଧ୍ୟରେ
ଅଶାନ୍ତି ସୃଷ୍ଟି କରିଛି
ଦାତାପଣେ ସିଏ ଅଦାତା ସାଜିଛି
ଶ୍ରମ ରକ୍ତକୁ ଝୁଣି ଖାଉଛି ।।

ମାଟି ସାଥେ ମାଟି କରିଛି ଜୀବନ
ଝାଳ ଟପ୍ ଟପ୍ ଝରେ
ସେ ଝାଳକୁ ପିଇ ମମତା ବୋଳାରେ
ସୁନାର ଫସଲ ଭରେ ।।

ସବୁରି ମୁଖରେ ହସ ଭରୁଥାଏ
ମୋ’ ରକ୍ତ ଓଠେ ହସ ନାହିଁ
ଶ୍ରମରୁ ଫେରିଲେ ରକ୍ତ କାନ୍ଦୁଥାଏ
ନିଜକୁ ବୁଝାଇ ବି ପାରେନାହିଁ ।।

ଏମିତି ଜୀବନେ ଗଢ଼ା ମୋ’ ଜୀବନ
ଶ୍ରମ ବିନା ମୁଁ ଯେ ଶବ
ବିଧାତା କାହିଁକି ଦେଉ ଏ ଜୀବନ
ବଞ୍ଚିବାରେ ନାହିଁ ଲାଭ ।।

ବଞ୍ଚିବାରେ ନାହିଁ ଲାଭ ।।

ଶ୍ରୀକାନ୍ତ ପଣ୍ଡା
ବସନ୍ତିଆ
ଭଦ୍ରକ

Share this :
Next Post

ଏଇ ଆଜିର ଆହ୍ବାନ - ରଞ୍ଜନ କୁମାର ମହାନ୍ତି

କାହିଁ ଗଲା ତୁମ ସ୍ୱର୍ଣ୍ଣିମ ଅତୀତ ସାକ୍ଷୀ ଯା ଲକ୍ଷ୍ମୀ ପୁରାଣ ଯେଉଁ ଝୋଟିଚିତା ପରେ ମହାଲକ୍ଷ୍ମୀ ଥାପିଣ ଥିଲେ ଚରଣ ଏଇ ଆଜିର ଆହ୍ୱାନ ଜୀବନ ଦୁଆରେ ଆଙ୍କ ସେଇ ଝୋଟି କରି ତଵ ଜୟଗାନ ତୁହି ପରା ଦିନେ ଶୁକଦେଈ ରୂପେ ସାଜିଥିଲୁ ରଣଚଣ୍ଡୀ ଖୋରଧା ଗଡ଼ର ପାଇକ ବଧୂ ତୁ ଇଂରେଜର ଦର୍ପ ଖଣ୍ଡି ମୁଣ୍ଡରୁ କାଟିଲୁ ଗଣ୍ଡି ସାକ୍ଷୀ ଆଜି ସେଇ ବରୁଣେଇ କଡ଼ […]

Subscribe US Now