ଏଇ ଆଜିର ଆହ୍ବାନ – ରଞ୍ଜନ କୁମାର ମହାନ୍ତି

Views: 19
0 0
Read Time:4 Minute, 36 Second

କାହିଁ ଗଲା ତୁମ ସ୍ୱର୍ଣ୍ଣିମ ଅତୀତ
ସାକ୍ଷୀ ଯା ଲକ୍ଷ୍ମୀ ପୁରାଣ
ଯେଉଁ ଝୋଟିଚିତା ପରେ ମହାଲକ୍ଷ୍ମୀ
ଥାପିଣ ଥିଲେ ଚରଣ
ଏଇ ଆଜିର ଆହ୍ୱାନ
ଜୀବନ ଦୁଆରେ ଆଙ୍କ ସେଇ ଝୋଟି
କରି ତଵ ଜୟଗାନ

ତୁହି ପରା ଦିନେ ଶୁକଦେଈ ରୂପେ
ସାଜିଥିଲୁ ରଣଚଣ୍ଡୀ
ଖୋରଧା ଗଡ଼ର ପାଇକ ବଧୂ ତୁ
ଇଂରେଜର ଦର୍ପ ଖଣ୍ଡି
ମୁଣ୍ଡରୁ କାଟିଲୁ ଗଣ୍ଡି
ସାକ୍ଷୀ ଆଜି ସେଇ ବରୁଣେଇ କଡ଼
ଭୁଲି ଗଲୁ କି ଲୋ ହୁଣ୍ଡି !

ତୋ ହାତ ଦହିକୁ ଖାଇ ମହାପ୍ରଭୁ
କାଞ୍ଚି ଅଭିଯାନେ ଗଲେ
ତୋ ଶଙ୍ଖ ଶଵଦ ଶୁଣି ଯେ ସାଧବ
ସାଗରେ ବୋଇତ ମେଲେ
ଦୁଃଖ ରଖି ଛାତି ତଳେ
ପରିବାରକୁ ତୁ ଏକ କରି ରଖୁ
ସେନେହ ମମତା ମୂଲେ

ତୋର ପୋଡପିଠା ଭାଗବତ ଗୀତା
ପୋଥି ପୁରାଣର ସରି
ଏ ସାରା ଭୁବନେ କିଏ ଅଛି କହ
ଯିଏ ହବ ତୋର ପରି
କର୍ମ ମତେ ରୂପ ଧରି
ଭୋଜନେ ଜନନୀ ପ୍ରଣୟେ ପ୍ରେୟସୀ
ଭଗିନୀର ସ୍ନେହଡୋରି

କାହା ସାନଵୋଉ କାହାର ତୁ ଖୁଡୀ
ଶେଷେ ତୁ ପାଲଟୁ ବୁଢ଼ୀ
ନିଜ ଅସ୍ତିତ୍ୱକୁ ହଜେଇ ଦେଉ ତୁ
ଆଶା ଦୁଇପଟ ଚୁଡ଼ି
ପର ଘର ଦେଉ ଗଢି
ମୃତ୍ୟୁ ଶଯ୍ୟା ପାଶେ ତୋର ଭାଗବତ
ଯମକୁ ଦିଅଇ ତଡି

ସଙ୍କରାନ୍ତି ଅବା ଉଆଁସ ପୁନେଇଁ
ତୋ ବିହୁନେ ସବୁ ଫିକା
ସାକ୍ଷାତରେ ତୁ ଯେ ଦେବୀ ଅନ୍ନପୂର୍ଣ୍ଣା
ହାତରେ ଥିଲେ ଖଡ଼ିକା
ସେଇ ତ ତୋର ଜୀବିକା
ନିଜ ପେଟ କାଟି ପରକୁ ଖୁଆଉ
ସାକ୍ଷୀ ଅଛି ଖାଲି ଶିକା

ସେହି ସବୁ କୀର୍ତ୍ତି ଚୁଲିର ନିଆଁରେ
ନ ହେଉ ଆଜି ପାଉଁଶ
ଉଠ ଉଠ ମାତ ଉଠି ଲେଖିଦିଅ
ଜାତିର ସ୍ବର୍ଣ୍ଣ ଭବିଷ୍ୟ
ବଦଳାଅ ଇତିହାସ
ତୁମେ ମହିୟସୀ ଅପୂର୍ବ ସାହସୀ
ତେଜ ହେ ମନରୁ ଦ୍ୱେଷ

ଆଦ୍ୟ ଆଷାଢ଼ର ଅସରାଏ ବର୍ଷା
ତୁମେ ତ ନିଦାଘ ଦେହେ
ମୃତ୍ୟୁର ପୁରୀରେ ଅମୃତମୟୀ ହେ
ତୁମେ ତ ଅସରା ସ୍ନେହେ
ସଦା ଏହି ଜାତି ଚାହେଁ
ଜାଗି ଉଠ ମାତ ଆତ୍ମାର ଆହ୍ଵାନେ
ଉତ୍କଳମାତାର ମୋହେ

ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର

Share this :
Next Post

ଜଗନ୍ନାଥ (ଭାଗ-୮)-ଅମରଜିତ ମଲ୍ଲିକ

ବରଷକେ ଥରେ ଆଶୁଛୁ କାଳିଆ ଦରଶନ ଦେବା ପାଇଁ ଲକ୍ଷିମି ମାତାଙ୍କୁ ସଂଗତେ ନ ନେଇ ରଥରେ ଯାଉଛୁ ଧାଇଁ।।୧। ଭାଇ ଭଉଣୀଙ୍କୁ ସଙ୍ଗତରେ ନେଇ ମାଉସୀ ମନ୍ଦିର ଗଲ ପୋଡ଼ ପିଠା ଖାଇ ନଅ ଦିନ ପରେ ସେଠୁ ବାହୁଡ଼ି ଆସିଲ।।୨। ବଡ଼ଦାଣ୍ଡେ ରଥ ପହଁଚିଲା ଆସି ଦରଶନ ତୋର ହେଲା ନଅ ଦିନ ହେଲା ଖାଲି ପଡିଥିଲା ଅବଢ଼ା ପ୍ରସାଦ ଭଲା।।୩। ବଡ଼ଦାଣ୍ଡେ ଆସି ନାନା ପରକାର […]

Subscribe US Now