ଫେରିବାର ଅଛି କେହି – ଭାରତୀ ରଥ

Views: 29
0 0
Read Time:2 Minute, 50 Second

ଫେରିବାର ଅଛି କେହି
ବସିଛି ତା ବାଟ ଚାହିଁ
କେତେଦିନ ଚାହିଁଥିବି ଜାଣେନା
ଯାଇନାହିଁ ଅଭିମାନେ
ଅବା କେଉଁ ଘୋର ବନେ
ଥିଲା ଯାହା ସମୟର ତାଡନା ।

ଭାବେ ବସି ବେଳେବେଳେ
ପୁଅକୁ ଧରି ମୁଁ କୋଳେ
ଦେଖିପାରିବ କି ତା’ର ବାପାକୁ ଦାଦନ ସେ ଖଟିବାକୁ
ଯାଇଅଛି ବିଦେଶକୁ
ସେଦିନୁ ଫେରିନି ଆଉ ଘରକୁ ।

ଭୂଆସୁଣୀ ଝିଅ ଛାଡି
ପଦାକୁ ସେ ଗୋଡ଼ କାଢି
ରୋଜଗାର ଆଶେ ଗଲା ବିଦେଶ
ଅବାଡୁଆ ଝିଅ ମୋର
ଚାହିଁଛି ବାପାକୁ ତା’ର
ଆସିଲେ ସାଜିବ ସେ ବୋହୂ ବେଶ ।

ଦିନ ତ ଯାଉଛି ବିତି
କଟେ ନାହିଁ ଜମା ରାତି
ମନେ ଖେଳେ କେତେକେତେ ଆଶଙ୍କା
ସତେକି ଆସନ୍ତା ଫେରି
ବନ୍ଦୀଶାଳାରୁ ବାହାରି
ଛାଡ଼ନ୍ତିନି ଆଣିବାକୁ ଯେ ଟଙ୍କା ।

ଖୋଅଜ ଖବର ନାହିଁ
ରହିଛି ସେଦିନୁ ଯାଇ
ଜୀବିତ କି ମୃତ କେହି ଜାଣେନା
ଏକା ଏକା ବସେ ଯେବେ
ତାଆରି କଥା ହିଁ ଭାବେ
ଯେତେ ବୁଝାଇଲେ ମନ ମାନେନା ।

ଉଆଁସ, ପୁନେଇଁ କେତେ
ଚାଲିଯା’ନ୍ତି ତାଙ୍କ ପଥେ
କାଳ ରାତି ମୋ ପାଇଁ ଯେ ସରେନି
ଚାହିଁଛି ମୁଁ ଥିବି ଚାହିଁ
ଫେରିବାର ଅଛି କେହି
ଡାକିଦେବ ହସି -“ପ୍ରାଣସଙ୍ଗିନୀ” ।

ଭାରତୀ ରଥ
ରଗଡି, ବାଙ୍କୀ, କଟକ.

Share this :
Next Post

ରଜନୀଗନ୍ଧା ମୁଁ ହେଲି (ଗୀତି କବିତା) - ବାସନ୍ତି ଲତା ଜେନା

ସଦ୍ୟ ସୁବାସିତ ରଜନୀ ଗନ୍ଧାକୁ ଶେଯ ପରେ ପକାଇଲି ପ୍ରିୟତମ ଚାହିଁ ରାତି ପାହି ଗଲା ସାଥି ମୁଖ ନ ଦେଖିଲି ରଜନୀ ଗାନ୍ଧା ମୁଁ……. (0) ଛଟପଟ ହେଲି ସାରା ରାତି ମୁଁ ଯେ ଦେହରେ ଭରିଲା ତାତି ରଜନୀ ଗାନ୍ଧାର ବାସ ମଉଳିଲା ପାହିଗଲା ଧୀରେ ରାତି ଜହ୍ନ ଲୁଚିଗଲା ସୁରୁଜ ଆଲୋକେ ଯାତନାରେ ଜଳିଗଲି ରଜନୀ ଗାନ୍ଧା ମୁଁ……(୧) ଝରକା ଫାଙ୍କରେ ଅନାଇ ରହିଲି ଅପଲକ […]

Subscribe US Now