ମୁଁ ଶ୍ରମିକ ଟିଏ – ପ୍ରତାପ କିଶୋର ରାଉତ

Views: 11
0 0
Read Time:8 Minute, 11 Second

କେହି କଣ ମାପିଛି କେବେ
ଶ୍ରମିକ ଦେହରୁ ନିଗିଡି ପଡୁଥିବା
ତପ୍ତ ଘର୍ମ ର ଉଷ୍ମତା ??
ଶିରାଳ ବିଣ୍ଡି ବସା ହାତରେ
ନିତି ମୁଁ ହିଁ କେବଳ ଗଢିପାରେ
ତୁମ ମନ ତଳେ ଲୁଚି ଲୁଚି
ବସା ବାନ୍ଧିଥିବା ସ୍ୱପ୍ନ ର କୋଣାର୍କ କୁ,

ପେଜ ତୋରାଣି ର ସମୁଦ୍ର ରୁ
ନିତି ଜୀଵନ ଜୀବିକା କୁ ଖୋଜୁଥାଏ
ସଞ୍ଜ ନଇଁ ଆସେ ସହର ସେ ପଟରେ
ପିଠି କୁ ଛୁଉଁ ଥିବା ପେଟ
କେତେ କଣ ଅଳି କରେ
ହେଲେ ତାର ଯାଏ ଆସେ କେତେ
ସାହେବ ଘର ଝର୍କା ଦେଇ
ଭାସି ଆସୁଥିବା ଇଲିସି ମାଛର ବାସ୍ନା
ବିଦେଶୀ ଖାଦ୍ୟ ର ମହ ମହ ବାସ୍ନା
ବେଶ ମନେ ମନେ ଆକଣ୍ଠ ପାନ କରେ
ମୁଁ ତ ଶାଗ ପଖାଳ ର ମଣିଷ ଟା
ଏମିତି ଭୋକିଲା ପେଟ ଟାକୁ
ଠକେଇ ଦେବାରେ ମୁଁ ପାରଙ୍ଗମ ,

ପାଦର ଛିଣ୍ଡା ଜୋତା ଦିଟା
ମୋ ଦୁଃଖରେ ଭାରି ଦୁଃଖୀ
ଦିନେ ଦିନେ କଷ୍ଟ ଦେଇ ବହୁତ ଅନୁତାପ କରନ୍ତି,
ମଳି କୁଟ କୁଟ ହାଇ ମରା ଗାମୁଛା
ସେ ବି କେତେବେଳେ ଧୋକା ଦେଇ ନାହିଁ
ଧୋକା ଦିଏ ଜାମା ଯୋଡ଼ ବାବୁ ଟା
ଚାରିଟା ପରେ ବି ଦି ପଦ ମିଠା କଥା କହି
ଅଧା ଘଣ୍ଟା ମୋ ହାତରୁ ଚୋରେଇ ନିଏ,

ବର ଗଛ ମୂଳେ ଶୋଇଥାଏ ମୋ ଭବିଷ୍ୟତ
କୁଆଁ କୁଆଁ କୁହାଟ ରେ ପ୍ରତିଜ୍ଞା କରୁଥାଏ
ବଡ ହୋଇ କାନ୍ଧ କୁ କାନ୍ଧ ଲଗେଇ ଦେବ
ଆଉ ମନେ ମନେ ଭାବୁ ଥାଏ
ତାର  ତ ଫେରିବା ର ବେଳ ହେଲାଣି,
ମା ପଣତ ରେ ଝୁଲି ଝୁଲି
ଦେଖୁଥାଏ ପୃଥିବୀ ର ରଙ୍ଗ ବଦଳୁଥିବା ଦୃଶ୍ୟ
ଦେଖୁଥାଏ ଚିଡ଼ିଆ ଖାନା ର ବାଘ ଭାଲୁ
ରାସ୍ତା ଘାଟରେ କେମିତି ଚରୁଛନ୍ତି ,

ମୋ ପାଇଁ ସହର ହସେ ଖୁବ ମନ ଖୋଲି
ସହର ର ବେଶ ପରିପାଟି ର ହକ ମୁଁ
କିନ୍ତୁ ଦୁର୍ଭାଗ୍ୟ କପାଳ ଟା
ଏଇ ସହର ଛଡେଇ ନିଏ
ମୋର ବାଲ୍ୟ ଯୌବନ ବାର୍ଦ୍ଧକ୍ୟ
ସେଇଥି ପାଇଁ ସହର ର ସରହଦ ମୋ ପାଇଁ ମନା
କୋଉ ପରିତ୍ୟକ୍ତ ମଶାଣୀ ବା ଜଙ୍ଗଲ ତଳ
ସେଇ ଝୁପୁଡି ରେ ଅନୁଭବ କରେ ପ୍ରାସାଦ ର ସୁଖ,

ବିପଦ ରେ ସହର ମୋତେ ପର କରିଦିଏ
ଯାର ହାତ ରେ ମାଟି ଚିପୁଡିଲେ ସୁନା
ସେ ହିଁ କେବଳ ସେଇ ମାଟି ର ମଣିଷ
କଂକ୍ରିଟ ଜଙ୍ଗଲ ରେ ଦୁଇ ଗୋଡିଆ ବାଘ ଗୁଡା
ତାଙ୍କୁ କି  ବିଶ୍ୱାସ କରିହେବ
ଏମାନେ ସାତରଙ୍ଗୀ ଏଣ୍ଡୁଅ
ଯୁଦ୍ଧ ତାର ସରିବନି ଏ ଜୀବନ ରେ
ଦୈନ୍ୟତା ର ରକ୍ତ ପିଇ ମୋତେ ବଞ୍ଚିବାକୁ ହେବ,

ନିର୍ବାଚନ ଆସିଲେ ମୋପାଇଁ ଗଢ଼ାହେବ
ଗଦା ଗଦା ଇସ୍ତାହାର ର ସୌଧ
ମୋର ଆପଣା ପଣ ସରଳତା କୁ ହତ୍ୟା କରି
ସେହି ସ୍ୟାହି ରେ ଲେଖା ହେବ ମୋର ଆତ୍ମକାହାଣୀ
ରାଜନୀତି ପଶା ପାଲି ରେ
ନିରୀହ ଗୋଟି ଟିଏ ହୋଇ
ଗଡୁଥିବି ସମୟ ର ଚୋରା ବାଲି ପରେ
ମୋର ସର୍ବସ୍ୱ କୁ ଲୁଟ କରି
କିଏ କେତେ ଗଢ଼ିଦେଵ ପାପ ର ସାମ୍ରାଜ୍ୟ,

ଝୁପୁଡି ଘରେ ଯାର ଭାଗ୍ୟର ପରୀକ୍ଷା
ତାକୁ ନେଇ ଏତେ ଭାଵ ପ୍ରବଣତା କଣ ପାଇଁ
ଶ୍ରମିକ ର ଆତ୍ମକହାଣୀ ରେ ନୂଆ ଫର୍ଦ ଯୋଡି
କିଏ ପୁଣି କରିବ ମୋର କପାଳ ଲିଖନ ର ପ୍ରାୟଶ୍ଚିତ?
ମୋ ପାଇଁ ତ ଜୟ ଗାନ ହୁଏ
ମୋ ପାଇଁ ତ ଶ୍ରମିକ ଦିବସ ପାଳନ
କେତେ ସଭା ସମିତି କେତେ ସଂଗଠନ
ସ୍ବତନ୍ତ ପୁଣି ଗୋଟେ ମନ୍ତ୍ରାଳୟ
ଏତିକି କଣ ମୋ ପାଇଁ ଯଥେଷ୍ଟ ନୁହେଁ
ଆରେ ମୁଁ ତ ଗୋଟେ ଶ୍ରମିକ
ନା ତାଠାରୁ ଆଉ କିଛି ଅଧିକ ବା ସ୍ବତନ୍ତ୍ର ।

ପ୍ରତାର କିଶୋର ରାଉତ
ଶିକ୍ଷକ,ଚମ୍ପକେଶ୍ୱର ଉଚ୍ଚ ବିଦ୍ୟାଳୟ
ପୋଇପାଣି,କେନ୍ଦୁଝର

Share this :
Next Post

ଶ୍ରମିକ ଟିଏ ମୁଁ - ବିଜୟ କୁମାର ସ୍ବାଇଁ

ଶ୍ରମିକ ଟିଏ ମୁଁ ଶ୍ରମିକ ଟିଏ ଶ୍ରମ ଟି ମୋହର ସାଥୀ ଶ୍ରମ ବିନା କିଛି ଜାଣି ନାହିଁ ମୁଁ ଯେ ଶ୍ରମ ବିନା ନାହିଁ ଗତି। ମୋର ଶ୍ରମ ଦାନ ପାଇଁ କି ଜଗତେ ସମସ୍ତଙ୍କ ମୁହେଁ ହସ ସ୍ଥାବର ଜଙ୍ଗମ୍ ହସି ଉଠେ ପରା ପାଇ ମୋହର ପରସ। ଜାତି ଭେଦ ଆଉ ଉଚ୍ଚ ନୀଚ ଭାବ ଲିଙ୍ଗ ବର୍ଣ୍ଣ ର ପ୍ରଭେଦ କରମ କରେ ମୁଁ […]

Subscribe US Now