ତୁମକୁ ଦେଖୁଥିଲି – ଶ୍ରୀ ଶୁଭେନ୍ଦୁ କୁମାର ମହାପାତ୍ର

Views: 18
0 0
Read Time:4 Minute, 2 Second

ସେଦିନ ତୁମକୁ ଦେଖୁଥିଲି
ପ୍ରୀତିର ମଧୁର ଛନ୍ଦରେ ଗୀତ ଗାଇ
ପ୍ରଗଳଭତାରେ ଡେଇଁ ଡେଇଁ ବୁଲୁଥିଲ
ମନଭୁଲାଣିଆ ରଙ୍ଗୀନ ଫୁଲ ବଗିଚାରେ
ବୋଧେ ଇଛାଥିଲା ଝୁଲିବାକୁ ଗଛଝୁଲଣାରେ
ଏକ ଅସଂଜତ ମୁହୂର୍ତ୍ତରେ
ଆକାଶ ଛାତିରୁ ଖସିପଡ଼ିଲା
ମୋ ଗୁଡ଼ିଟା ତୁମ ମୁଲାୟମ ହାତ ପାପୁଲିରେ
ହାତରେ ମୋର ନଟେଇର ବଳକା ସୂତା
ତୁମେ କିନ୍ତୁ ଫିକକରି ହସିଦେଇ ଉଡିଗଲ
ଚିତ୍ରିତ ହରରଙ୍ଗୀ ପ୍ରଜାପତିଟେ ଭଳି !!
ଫଗୁଣ ଖବର ବାଣ୍ଟିଗଲା ଗାଁ ଦାଣ୍ଡରେ
ଫୁଲ ବଗିଚାରେ /ନଈପଠାରେ ବି
ଫଗୁର ଫୁଆରାରେ ସମସ୍ତେ ମତୁଆଲା
ସଭିଏଁ ମଧୁର ରୋମାଞ୍ଚରେ ବିଭୋର
ଉଜାଗରେ ଦିହୁଡି ଜାଳୁଥିଲେ
ଭାବ ପୀରତିର /ପ୍ରେମ ପ୍ରଣୟର
ମୁଁ କିନ୍ତୁ ଅବଲୋକନ କରୁଥିଲି
ସଂକ୍ଷିପ୍ତ ଚୂର୍ଣ୍ଣକୁନ୍ତଳ ଭିତରୁ
ଅନିନ୍ଦ୍ୟ ରୂପଲାବଣ୍ୟ ପରିପାଟିରେ
ଚନ୍ଦନ ଚନ୍ଦନଚର୍ଚ୍ଚିତ ଶଙ୍ଖଗ୍ରୀବା ମୁଖଟି ତୁମର
ଲକ୍ଷେ ଫଗୁଣକୁ ଫୁତ୍କାରୁଥିଲା !!
ଆଜି ଦେଖୁଛି କ୍ରୁର ବୈଶାଖୀ କେମିତି
ଜାଳିଦେଇଛି ପଲ୍ଲବିତ ଶ୍ୟାମଳ ବୃକ୍ଷରାଜି
ଚଳୁକରି ଶୋଷିନେଇଛି ସମୁଦ୍ରର ଜଳ
ଆକାଶ ଛାତିରେ ଇନ୍ଦ୍ରଧନୁର ନୀରବତା
ନିଷ୍ଠୁର ସମୀରର ମିଥ୍ୟା ଦାମ୍ଭିକତା
ଯେତେବେଳେ ମୁଁ ଅରୁଣସ୍ତମ୍ଭ ପାଖରୁ
ହାତବଢ଼େଇ ନିଃସ୍ଵତାରେ ମାଗୁଥିଲି
ସ୍ବର୍ଗଦ୍ୱାରରେ ଚାରିହାତ ଜାଗା
ସେତେବେଳେ ତୁମେ ଗରୁଡସ୍ତମ୍ବ ପାଖରେ
ହାତଟେକି ସନ୍ତର୍ପଣେ ମୁଦ୍ରିତ ନେତ୍ରରେ
କାହାପାଇଁ କଅଣ ମନାସୁଥିଲ !!

ଶ୍ରୀ ଶୁଭେନ୍ଦୁ କୁମାର ମହାପାତ୍ର (ପ୍ର. ଶି )
ସାନକୁଆଁଲ ସରକାରୀ ଉ. ପ୍ରା ବିଦ୍ୟାଳୟ
ମଙ୍ଗଳପୁର, ଯାଜପୁର, ଓଡିଶା
ଫୋନ – 9438064908

Share this :
Next Post

ଶିଶୁ - ବେଣୁଧର ସୂତାର

ସମ୍ପର୍କର ତୁହି ଅମିୟ ପରଶ ସ୍ବାଗତର ତୁହି ପହିଲି ଗୀତି ତୁହି ଜୀବନର ପ୍ରଥମ ସ୍ବପ୍ନରେ ମୁଗ୍ଧ ମଧୁମୟ ମଧୁର ସ୍ମୃତି । ବିଚିତ୍ର ଶିଳ୍ପୀର ଅମୂଲ୍ୟ ଦାନତୁ ଅମୃତ ଵୋଳାତୋ ହସ ନବ ସର୍ଜନାର ମୁଗ୍ଧ କଳିକା ତୁ ଏ ସୃଷ୍ଟିର ଇତିହାସ । ମମତାର ତୁହି ମଧୁର ମୁରତି ମାଧୁର୍ଯ୍ୟ ମହକ ଭରା ମୁକୁଳା ହୃଦୟେ ଉଛୁଳା ତରଙ୍ଗ ସମ୍ମୋହିତ ସୁଧାଧାରା । ତୁହି ଉଷା କାଳ […]

Subscribe US Now