ହାତେ ରଙ୍ଗତୁଳି ଧରି ମୁଁ ଆଙ୍କୁଛି
ପ୍ରିୟା ତୁମ ପ୍ରତି ଛବି
ଯେତେ ଆଙ୍କିଲେବି ମନ ବୁଝୁନାହିଁ
କେମିତି ସେ ରୂପ ଦେବି ।
କାଳେ ଆଙ୍କିଦେବି ଅସୁନ୍ଦର କରି
ତୁମ ସୁନ୍ଦର ମୁହଁକୁ
ବାରମ୍ବାର ପୁଣି ଲିଭେଇ ଆଙ୍କୁଛି
ଦେଖି ତୁମ ଫଟଟିକୁ ।
କି ରଙ୍ଗ ଭରିବି କି ଉପମା ଦେବି
କେଉଁ ତୁଳିରେ ଆଙ୍କିବି
କେଉଁ ଶୁଭବେଳା ତିଥିରେ ଆଙ୍କିବି
କେଉଁ ସ୍ଥାନରେ ବସିବି ?
ପାଉନି ସେମିତି ସୁରକ୍ଷିତ ଜାଗା
ଯେଉଁଠି ମୁଁ ସାଇତିବି
ପଡିବନି ତହିଁ କାହାର ନଜର
ସେଇଠି ମୁଁ ଲୁଚେଇବି ।
କେବେ ବସି ଦେଖେ ବେଳାଭୂମି ପରେ
ଆଙ୍କେ ବାଲୁକା ବୁକୁରେ
ପୁଣି କେବେ ବସି ଚାନ୍ଦିନୀ ରାତିରେ
ଆଙ୍କେ ଚାନ୍ଦର ଛାତିରେ ।
ମୁଁ ଏକ ପାଗଳ ପ୍ରେମୀ ଚିତ୍ରକର
ଆଙ୍କେ ମୋ ପ୍ରିୟାର ଛବି
ପ୍ରତି ମୁହୂର୍ତ୍ତରେ ଭାବେ ମୁଁ ପ୍ରିୟାକୁ
ହୃଦୟରେ ବସାଇବି ।
ପୁଣି ଭାବୁଥାଏ ହୃଦୟ ମୋ କାଳେ
ଭାଙ୍ଗିଯିବ ଯଦି କେବେ
ତାହାବି ନୁହଁଇ ଉପଯୁକ୍ତ ସ୍ଥାନ
କେଉଁଠି ରଖିବି ତେବେ ।
ଅମରନାଥ ବାରିକ୍
ଯାଜପୁର
Readers Interaction