ଗୁରୁ ମହାମନ୍ତ୍ର ଗୁରୁ ମହାସୂତ୍ର ଗୁରୁ ହିଁ ଜୀବନ ଆଧାର
ଗୁରୁ ମହାବଳ ଗୁରୁ ହିଁ ସମ୍ଭଳ ଗୁରୁ ହିଁ ମୁକ୍ତିର ସ୍ବାକ୍ଷର ।।
ଗୁରୁ ହଁ ସ୍ରଷ୍ଟା ଗୁରୁ ହିଁ ସୃଷ୍ଟି ଗୁରୁ ହେଉଛନ୍ତି ବିଲୟ
ଗୁରୁଙ୍କ ଆଶିଷେ ଅଜ୍ଞାନ ରାଜ୍ୟରେ ଜ୍ଞାନର ସୂରୁଜ ଉଦୟ।।
ସ୍ୱୟଂ ଭଗବାନ ଗୁରୁଙ୍କୁ ପୂଜନ୍ତି ଗୁରୁଙ୍କ ସ୍ଥାନ ଉଚ୍ଚରେ
ଗୁରୁଙ୍କ ଶକତି ବଳରେ ମୁକତି ଲଭେ ଶିଷ୍ୟ ଅଚିରରେ ।।
ସୁପ୍ତ ଷଡ଼ଚକ୍ର ଜାଗ୍ରତ ହୁଅଇ ଗୁରୁଙ୍କର ଦିବ୍ୟ ସ୍ପର୍ଶେ
ସେହି ଗୁରୁ ଯଦି କୋପିତ ହୁଅନ୍ତି ବଞ୍ଚାଇବ କେ ଜଗତେ?
ଗୁରୁ ଗଉତମ ଶିଷ୍ୟ ସର୍ବୋତ୍ତମ ଉତ୍ତଙ୍ଗ ଭୃଗୁନନ୍ଦନ
ଦିବ୍ୟ କୁଣ୍ଡଳକୁ ଦକ୍ଷିଣା ରୂପରେ ଦେଇଥିଲେ ଗୁରୁ ଚରଣ ।।
ଭଗବାନ ବ୍ୟାସ ବନବାସୀ ପୁତ୍ର ନିଜଗୁରୁ ବରିଥିଲେ
ଶିଷ୍ୟ ଗହଣରେ ନିଜ ଆସନରେ ବସାଇଣ ପୂଜାକଲେ ।।
ପାଣ୍ଡବେ ଦ୍ରୋଣଙ୍କୁ ଗୁରୁଦକ୍ଷିଣାରେ ଦେଇଥିଲେ ବାନ୍ଧିଦ୍ରୁପଦ
ଏକଲବ୍ୟ ଗୁରୁଦକ୍ଷିଣା ମାଗନ୍ତେ ଦେଲେ ବୃଦ୍ଧାଙ୍ଗୁଳି ସମ୍ପଦ।।
ଚନ୍ଦ୍ରଗୁପ୍ତ ପାଇ ଗୁରୁ ଚାଣକ୍ୟଙ୍କୁ ନାଶ କଲେ ନନ୍ଦବଂଶ
ପ୍ରତିଷ୍ଠା କରିଲେ ମୋଯ୍ୟଵଂଶ ସେହି ପାଇଣ ମଗଧଦେଶ।।
ରାମକୃଷ୍ଣଙ୍କର ଅଶେଷ କୃପାରୁ ନରେନ୍ଦ୍ର ବିବେକାନନ୍ଦ
ପୃଥିବୀ ବକ୍ଷରେ ଗୀତା ଜ୍ଞାନ ବାଣୀ କରିଥିଲେ ପ୍ରସାରିତ।।
ଗୁରୁଙ୍କ ସମାନ ମହାନ ଦେବତା ସଂସାରରେ ଆଉ କାହିଁ
ତାଙ୍କରି ଚରଣେ ଶରଣ ଯେ ନିଏ ଭଵ ସାଗରୁ ତରଇ।।
ସାଗର କୁମାର ପରିଡା
ବଡ଼ମ୍ବା, କଟକ
Readers Interaction