Read Time:2 Minute, 1 Second
ଭାରି ଭଲଲାଗେ ତମ ସାଥେ ମିଶି
ବୁଲିବାକୁ କୋଣାରକ
ଭାରି ଭଲଲାଗେ ବସି ପୁଇଁବାକୁ
ଚନ୍ଦ୍ରଭାଗା ସୂର୍ଯ୍ଯାଲୋକ ।।
ଭାରି ଭଲଲାଗେ ସାଥିଟିଏ ହୋଇ
ଟୁଆଁଟୁଇଁ ଗପିବାକୁ
ଭାରି ଭଲଲାଗେ ରାତିଟିଏ ହୋଇ
ପ୍ରୀତିଟିଏ ବାଣ୍ଟିବାକୁ ।।
ଭାରି ଭଲଲାଗେ ତମ ମନ ତଳେ
ଲେଖାଥିଲେ ମୋର ନାମ
ଭାରି ଭଲଲାଗେ ଟାହି ଟାପରାରେ
ହେଉଥିଲେ ବଦନାମ ।।
ଭାରି ଭଲଲାଗେ ତମେ ରୁଷିଗଲେ
ମୁଁ ଯାଏ ଟିକେ ରୁଷି
ଭାରି ଭଲଲାଗେ ମୁହଁକୁ ଫୁଲେଇ
ମତେ ଯେବେ କର ଦୋଷି ।।
ଭାରି ଭଲଲାଗେ କାଖେ ଗରା ଧରି
ଚାଲୁଥାଅ ଯେବେ ହସି
ଭାରି ଭଲଲାଗେ ଅମାନିଆ ମନ
ତମଠାରେ ଗଲେ ଫସି ।।
ଭାରି ଭଲଲାଗେ ପ୍ରଜାପତି ଜଳେ
ଛୁଇଁ ସେ ଫୁଲର ନିଆଁ
ଭାରି ଭଲଲାଗେ ମତେ ଜଳିବାକୁ
ପାଇ ତୋ ପ୍ରୀତିର ଛୁଆଁ ।।
ଅମୂଲ୍ଯ କୁମାର ନାୟକ
କଟକ
Readers Interaction