ମୋ ଗାଁଆ ରେ ସକାଳ – ବନଲତା ଜାଲି

Views: 36
0 0
Read Time:5 Minute, 7 Second

 

ମୋ ଗାଁଆ ମୁଣ୍ଡରେ

ସୁରୁଜ ଆସଲେ ଉଇଁ

ମଧୁକାକଳିରେ ଉଲ୍ଲସିତ ହୁଏ 

ଅଙ୍କାବଙ୍କା ଦାଣ୍ଡ ଭୂଇଁ 

ଶୀତଳସମୀର 

ଧୀରେଧୀରେ ଯାଏ ବହି 

ବନେଉପବନେ ସଦ୍ୟ ପ୍ରସ୍ଫୁଟିତ 

ସୁଗନ୍ଧିତ ଫୁଲ ଛୁଇଁ 

ନବ ଉନ୍ମାଦନା କୋଳାହଳ ନେଇ 

ଜନପ୍ରାଣ ଉଠେ ଚେଇଁ ll

ଜହ୍ନର ପ୍ରେୟସୀ 

କୁମୁଦରାଣୀ ଯେ 

ପାଖୁଡା ଦିଅଇ ବୁଜି 

ଉଷା ଆଗମନେ 

ସରସୀ ଜଳରେ 

ସରମରେ ଯାଏ ଭିଜି 

ଚହଲା ପାଣିରେ, ଜହ୍ନ ପ୍ରତିବିମ୍ବେ 

ଚାହେଁ କଣେଇକଣେଇ ll

ପାହାନ୍ତି ତାରାକୁ 

ଗଭାରେ ସଜାଇ 

ନିଶା ବଧୂ ଯାଏ ଚାଲି 

ମଥାରେ ଲଗାଇ 

ସୁରୁଜର ବିନ୍ଦି 

ଉଷାରାଣୀ ଆସେ ଝୁଲି 

ସରଗ ନଈରେ ସ୍ନାହାନ କରିଣ 

ପାଦଅଳତାରେ ପ୍ରାଚ୍ୟ ତୁଠ କରେ ନାଲି ll

ନୀଳଆକାଶକୁ

ଉଦ୍ଭାସିତ କରେ 

ଚିକମିକ ସୁନେଲି କର 

ଭାରି ଅଭିମାନୀ ପଦୁଅଁ କଳିଟି 

ଫୁଟେ ହୋଇ ତରତର 

ପ୍ରତୀକ୍ଷା ଯାଏ ତା’ସରି 

ବିରହ ବିଚ୍ଛେଦ ଦୂର ହୋଇ ଯାଏ 

ମନ ତା’ର ଯାଏ ଭରି ll

କୁନିଡେଣା ଝାଡ଼ି 

ମୋ ଗାଁଆ ମଥାରେ 

ପକ୍ଷୀପଲ ଯା’ନ୍ତି ଉଡି 

ପାହାନ୍ତିଆ ହେଲେ 

ଫସର ଫାଟିଲେ 

କୁଆ ଡାକେ ରଡିରଡି 

ଗୋରୁପଲ ଧରି 

ବିଲ ପ୍ରାନ୍ତରରେ 

ଗଉଡ଼ଟି ଧରିବାଡ଼ି 

ବଇଁଶୀ ବଜାଇ 

ଆନନ୍ଦ ମନରେ 

ସ୍ବର ତା’ର ଦିଏ ଛାଡି 

କଅଁଳା ବାଛୁରୀ 

ମାଆ ସାଥେ ଧାଏଁ 

ଛାଡି ହମ୍ବାହମ୍ବା ରଡି ll

ସଅଳସଅଳ 

ଚଷା ଭାଇ ଚାଲେ 

କ୍ଷେତ ପରେ ଧରି ହଳ 

ମନେ ଖୁସିହୁଏ 

ଦେଖି ଦେଇ ତା’ର 

ପରିଶ୍ରମର ଅମଳ 

ମନ୍ଦିରେ ଶୁଭଇ 

ଶଙ୍ଖ, ହୁଳହୁଳି 

ଘଣ୍ଟଘଣ୍ଟା, ଖୋଳତାଳ ll

ଶାନ୍ତକମନୀୟ 

ନିସ୍ତବ୍ଧ ମୋ ଗାଁଆ 

ହୁଅଇ ଚଳଚଞ୍ଚଳ 

ଧୂଳିବାଲି ଖେଳ 

ଆରମ୍ଭ କରନ୍ତି 

କୁନିକୁନି ପିଲାଦଳ 

ସରଳ ନିଷ୍ପାପ 

ଗାଉଁଲି ଜୀବନ 

ବୃତ୍ତିରେ ଉଠଇ ପୁରି 

ଯେତେ ଦୂରେ ଥିଲେ 

ତା’ସ୍ମୃତି ମଧୁର 

ମନ ମୋର ହୁଏ ଝୁରି 

ତା’ସାନ୍ନିଧ୍ୟ ଟିକେ 

ପାଇବା ପାଇଁକି 

ଆତ୍ମା ଅଧୀର ସବୁରି ll

ବନଲତା ଜାଲି 

କୃଷ୍ଣପ୍ରସାଦ, ପୁରୀ

Share this :
Next Post

ପ୍ରଣାମ ପ୍ରଣବ - ସାଗର କୁମାର ପରିଡା

  ହେ ଚିର ନମସ୍ୟ ମହାନ ପୁରୁଷ   କୀର୍ତ୍ତିରାଜି ତଵ ଘୋଷେ ଆଜି ବିଶ୍ୱ        ଭାରତ ମାତାର ସୁଯୋଗ୍ୟ ସନ୍ତାନ         ହେ ପ୍ରଣବ ତୁମେ ଅତୀବ ମହାନ ।। ପଶ୍ଚିମବଙ୍ଗର ବୀର ଭୂମିଜିଲ୍ଲା   ତୁମ ପରି ପୁତ୍ର ଦିନେ ପାଇଥିଲା        ମିରତି ଗାଁର ପୂଣ୍ୟମୟ ମାଟି           […]

Subscribe US Now