ମାନପତ୍ର – ନାରାୟଣ ଚନ୍ଦ୍ର ସେନାପତି

Views: 28
0 0
Read Time:4 Minute, 4 Second

 

ଅଜ୍ଞାନ ପାଇଁ ସେ ରଙ୍ଗୀନ କାଗଜ

ସାଧୁ ପାଇଁ ମାନ ସମ୍ମାନ

ମାନ ରଖିବାର ଦକ୍ଷ ପତ୍ରଟିଏ

ପ୍ରତିଭାକୁ ଦିଏ ଚୁମ୍ବନ।

ଆନନ୍ଦର ଗୀତି ଉତ୍ସାହର ଜ୍ୟୋତି

ହୃଦୟକୁ କରେ ତୃପ୍ତ

କୁହୁକ ଯେସନେ ତା ସମ୍ମୋହନ ବିଦ୍ୟା

ଜାଗ୍ରତ ହୁଅଇ ସୁପ୍ତ।

ତା ମହାକର୍ଷଣ ବଳରେ ଆକର୍ଷି

ଯେଉଁ ଜନ କରେ ତପ

ଶିକ୍ଷାର ଦୀକ୍ଷାର ସାଧକ ସେ ସାଜେ

ରଖେ ଅଭୀପ୍ସା ଅମାପ।

ଶୟନେ ସ୍ବପନେ ଭକତି ପ୍ରେମରେ

ପୂଜେ ଯେ ମା’ ସରସ୍ୱତୀ

ବିଶ୍ୱାସ ଭରସା ଫଳବତୀ ହୁଏ

ଲଭେ ଅମାପ ଶକତି।

ଯେଉଁ ପ୍ରତିଭାଟି ପାଏ ମାନପତ୍ର

ତାକୁ ସେ ଭାବେ ଜୀବନ

ପ୍ରେରଣାଦାୟକ ସିଦ୍ଧ ମନ୍ତ୍ର ଟିଏ

ଉଦ୍ଦୀପନାର ସ୍ପନ୍ଦନ।

ଉଚ୍ଚ ମାନେ ଭରା ଏ ପ୍ରମାଣ ପତ୍ର

ନାମ ସିନା ମାନପତ୍ର

ସଭିଙ୍କ ପାଇଁ ସେ ଧୂପ ଦୀପ ପୁଷ୍ପ

ପ୍ରତିଭା ଗଢିବା ମିତ୍ର।

କାନ୍ଥରେ ଟଙ୍ଗା ସେ ମାନପତ୍ର ରଖେ

ଯୁଗ ଯୁଗ ପାଇଁ କୀର୍ତ୍ତି

ସେ ସ୍ମୃତି ଭିତରେ ହସି ନାଚୁଥାଏ

କଳା କୃତିତ୍ୱର ସ୍ମୃତି।

ପ୍ରତିଭା ନ ଥାଇ ତୋଷମଦକାରୀ

ଲଭେ ଯେବେ ଏହି ପତ୍ର

ସମାଜ ରାଷ୍ଟ୍ରକୁ କଳଙ୍କିତ କରେ

ଅହଙ୍କାରେ ଦିବାରାତ୍ର।

ଅଯୋଗ୍ୟ ହାତରେ ମାନପତ୍ର ସତେ

ବାଇଆ ହାତରେ ନିଆଁ

ସଜ୍ଜନ ବିଦ୍ୱାନ ଭୟରେ ଲଜ୍ଜ୍ୟାରେ

ହୁଅନ୍ତି ଦେଖି ଛାନିଆଁ।

ମାନପତ୍ର ବସୁ ସ୍ଵଚ୍ଛ ଆସନରେ

ଯୋଗ୍ୟ ହାତେ ପାଉ ଶୋଭା

ଜନତା କହିବ ଅଛି ନ୍ୟାୟ ଧର୍ମ

ପ୍ରତିଭା ପାଇଁ ମର୍ଯ୍ୟାଦା।

ମାନପତ୍ର ପଛେ ଦଉଡେ ନିର୍ବୋଧ

ସଞ୍ଚି ଲଜ୍ଜା ଅପମାନ

ମାନପତ୍ର ଦୌଡେ ପ୍ରତିଭା ପଛରେ  ଅହରହ ରାତିଦିନ।

ଆସ ହେ ସଭିଏଁ କରିବା କରମ

ନ ରଖି ଫଳର ଆଶା

ସମାଜ ରାଷ୍ଟ୍ରର ମଙ୍ଗଳ କରିଲେ

ମାନପତ୍ର ହେବ ବର୍ଷା।

ନାରାୟଣ ଚନ୍ଦ୍ର ସେନାପତି,

 ଜମ୍ଭରା,କେନ୍ଦୁଝର

Share this :
Next Post

ସ୍ଵାଧୀନ ଭାରତ ସନ୍ତାନ ଆମେ - ବିଜୟ କୁମାର ସ୍ବାଇଁ

  ସ୍ଵାଧୀନ ଭାରତ ସନ୍ତାନ ଆମେ     ନବ ଭାରତର ଅରୁଣିମା ପ୍ରତି ପ୍ରାଣ ଆଜି ଉଲ୍ଲସିତ ହୁଏ    ଘୁଞ୍ଚିଚି ଯାତନା କାଳିମା। ନୀଳ ଆକାଶର ନୀଳ ଛାତ ତଳେ     ଉଡି ଉଡି କହେ ତ୍ରିରଙ୍ଗା ନାହିଁ ଆଁଭ ମନେ ଭୟ ଭୀତି କିଛି     ପ୍ରତି ପ୍ରଣେ ପ୍ରୀତି ଭରିବା। ଆମ୍ଭ ସମ୍ବିଧାନ ଆମ୍ଭ ଜାତୀୟତା   ସାରା ବିଶ୍ୱେ ଯାର […]

Subscribe US Now