କାହିଁକି ଲେଖିବି – ସୀମାଞ୍ଚଳ ପଣ୍ଡା

Views: 23
0 0
Read Time:2 Minute, 43 Second

ଯେବେ ଲେଖା ମୋର ନାହିଁ ଦରକାର
କାହିଁକି ଲେଖିବି ‘ରଚନା’ ମୋର,
ଜୀବ     ଚରାଚର    ଜୀବନର   ସ୍ୱର
ବୁଝିବି    ରଚିବି   କରି   ମଧୁର।

ସଂସାରର  ହିତେ   ଲେଖିବି  ଜାଗ୍ରତେ
ଅନ୍ତରର   ସ୍ୱର    ଆସିବ   ଝରି,
ପ୍ରକୃତିର     ରୂପ     ଜୀବନ    ସ୍ୱରୂପ
ରଚନାରେ  ମୋର  ରହିବ  ପୂରି,
କୀରତିର    ଗାଥା    ସ୍ମୃତିର   ବାରତା
ଜୀବନ  ଜୀବିକା  ସ୍ୱର  ସଂସାର,
ଯେବେ ଲେଖା  ମୋର ନାହିଁ ଦରକାର
କାହିଁକି ଲେଖିବି ରଚନା  ମୋର।

ସଂସାରର   ଛବି   କାବ୍ୟରେ   ଆଙ୍କିବି
ରଚି   କଳେବର    ସୁନ୍ଦର  କରି,
ଶବ୍ଦ    ଅଳଙ୍କାର     ସୁଷମା     ସମ୍ଭାର
କାବ୍ୟର  ଭଣ୍ଡାର  ଉଠିବ  ପୂରି।

ରଚନାର     ଗାଥା    ସଂସାରର   କଥା
କହିବ,   ବୁଝିବ   ଅନ୍ତର  ବ୍ୟଥା,
ଦୁଃଖକୁ    ଜାଣିବ    ଦୁଃଖ    ଜଣାଇବ
ଲଢ଼ି  ଲଢ଼ାଇବ ନୋହି  ଅନ୍ୟଥା,
ଜୀବନର    ସତ୍ୟ    କରି    ଉନ୍ମୋଚିତ
ମମତା ଡୋରରେ ବାନ୍ଧି ସଂସାର,
ଜୀବ     ଚରାଚର      ଜୀବନର   ସ୍ୱର
ବୁଝିବି    ରଚିବି   କରି   ମଧୁର।

ରଚନା    ମୋହର    ଶାଶ୍ୱତ    ପ୍ରେମର
ସାତ୍ତ୍ୱିକ   କର୍ମର   ଚିନ୍ତନ   ଗୀତି,
ଜୀବନର    ଲିପି    ପତ୍ରରେ    ପ୍ରଲେଖି
ପ୍ରସାରି  ଆଣିବି  ଶାନ୍ତି   ପ୍ରଗତି।

ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ

Share this :
Next Post

ଜୀବନ(୨୬) - ସସ୍ମିତା ପଣ୍ଡା

ଜୀବନ ଯେଉଁଠି ବାଟ ଅବାଟର ଭିନ୍ନ ଏକ ଅନୁଭୂତି । କେବେ ନିୟତିର ନିହାଣ ମୁନରେ ପାଷାଣର କଳାକୃତି ।। କେବେ ଶତାବ୍ଦୀର କଡ଼ଲେଉଟାଣି ସ୍ମୃତିର ଅନେକ ମୋହ । କେବେ ବରଷାର ମୁକୁଳା ମହ୍ଲାରେ ଝରିଆସୁଥିବା ଲୁହ ।। ନିଦାଘ ତାତିରେ ପାପୁଲିଏ ସ୍ବେଦ ଶତ ଲାଞ୍ଛନାର କଥା । ଉତ୍ତାଳ ତରଙ୍ଗେ ସଦ୍ୟ ବ୍ୟତିକ୍ରମ ନୁଆଇଁ ଦେଇଛି ମଥା ।। ନିର୍ଦ୍ଦୟ ଝାଞ୍ଜିର କଟାକ୍ଷ କୋଳରେ ଲହୁଭିଜା […]

Subscribe US Now