Read Time:1 Minute, 45 Second
ଜୀବନ ଯେଉଁଠି ବାଟ ଅବାଟର
ଭିନ୍ନ ଏକ ଅନୁଭୂତି ।
କେବେ ନିୟତିର ନିହାଣ ମୁନରେ
ପାଷାଣର କଳାକୃତି ।।
କେବେ ଶତାବ୍ଦୀର କଡ଼ଲେଉଟାଣି
ସ୍ମୃତିର ଅନେକ ମୋହ ।
କେବେ ବରଷାର ମୁକୁଳା ମହ୍ଲାରେ
ଝରିଆସୁଥିବା ଲୁହ ।।
ନିଦାଘ ତାତିରେ ପାପୁଲିଏ ସ୍ବେଦ
ଶତ ଲାଞ୍ଛନାର କଥା ।
ଉତ୍ତାଳ ତରଙ୍ଗେ ସଦ୍ୟ ବ୍ୟତିକ୍ରମ
ନୁଆଇଁ ଦେଇଛି ମଥା ।।
ନିର୍ଦ୍ଦୟ ଝାଞ୍ଜିର କଟାକ୍ଷ କୋଳରେ
ଲହୁଭିଜା ବ୍ୟତିକ୍ରମ ।
ଦୀର୍ଘଶ୍ବାସ କେବେ ମନସ୍କାମନାରେ
ତୋଳିଛି ମନରେ ଭ୍ରମ ।।
ଆସକ୍ତିର ସତ୍ତା କରିଛି ଚିତ୍କାର
ଅତିଶୟ ସମ୍ମୋହନେ ।
ସତ୍ୟବଦ୍ଧ ସେଇ ଶପଥ ପାଠର
ସ୍ମରଣ ଆସିନି ଦିନେ ।।
ସସ୍ମିତା ପଣ୍ଡା
କଟିକଟା, କଟକ
Readers Interaction