ଜୀବନଟା ଏକ ଜଞ୍ଜାଳ ମୟ ଯେ
ଅଡୁଆ ସୂତାର ଖିଅ
ସୂତାର ମୁଣ୍ଡକୁ ହାତରେ ଧରିଣ
ଧୀରେ ଧୀରେ ଖୋଲି ଦିଅ l୧l
ତର ତର ହେଲେ ଗଣ୍ଠି ଖୋଲେ ନାହିଁ
ଅଧିକ ଅଡୁଆ ହୁଏ
ଝିଙ୍କା ଝିଙ୍କି କରି ଛିଣ୍ଡାଇ ଦେଲେ ଯେ
ସୂତେ ଗଣ୍ଠି ପଡି ଯାଏ l୨l
ମନୁଷ୍ୟ ଜୀଵନ ଅଡୁଆ ସୂତା ତ
ସମସ୍ୟାର ଗନ୍ତାଘର
ଗୋଟିଏ ସମସ୍ୟା ସମାଧାନ ହେଲେ
ଆନ ପାଖେ ଆସେ ମୋର l୩l
ଦୁଃଖ ସୁଖ ଯେତେ ଜୀଵନରେ ଆସେ
କେବେ ଖରା କେବେ ଛାଇ
ଧୈର୍ଯ୍ୟ ନ ହରାଇ କାର୍ଯ୍ୟ କରି ଗଲେ
ଉତ୍ତମ ମଣିଷ ସେଇ l୪l
ଦୁଃଖ ସୁଖ ଦୁହେଁ ଯାଆଁଳା ଭାଇ ତ
ଅଡୁଆ ସୂତାର ଛାଇ
ସ୍ନେହ ପ୍ରେମ ପ୍ରୀତି କୋମଳ ପରଶ
ସମ୍ପର୍କ ଯୋଡି ଦିଅଇ l୫l
ଲୋଭ ମୋହ ମାୟା ସମ୍ପର୍କ ଛିଣ୍ଡାଏ
ସ୍ୱାର୍ଥ ମନେ କଲେ ଘର
ଅଦିନରେ ଢେଉ ନଦୀ ବନ୍ଧ ଭାଙ୍ଗେ
ନିଜ ଲୋକ କଲେ ପର l୬l
ବେଳ ଥାଉ ଥାଉ ସଜାଡ଼ିବା ଆମେ
ସମ୍ପର୍କ ଅଡୁଆ ସୂତା
ମଧୁମୟ ହେବ ଏ ସାରା ଜଗତ
ହୋଇବl ଜଗତ ଜିତା l୭l
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର
Readers Interaction